ସଲାମ୍, ଆଇଟିଆଇ ତାଳଚେର
17 ଜୁଲାଇ 2017
ଶେୟାର କରନ୍ତୁ :
ଓଡିଶାର ଶିଳ୍ପ ଦକ୍ଷତା ବିକାଶ କ୍ଷେତ୍ରରେ ଯେଉଁ କେତୋଟି ଆଇଟିଆଇଙ୍କର ଅବିସ୍ମରଣୀୟ ଅବଦାନ ରହିଛି, ସେମାନଙ୍କ ମଧ୍ୟରୁ ତାଳଚେର ଆଇଟିଆଇ ଅନ୍ୟତମ। ନିକଟରେ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳନ ହେବ। ମୁଁ ସେଠାକୁ ଯେତେ ଥର ଯାଏ, ଶିକ୍ଷକମାନଙ୍କୁ ଅନୁରୋଧ କରେ ଯେ ସେମାନଙ୍କ ଅନୁଷ୍ଠାନକୁ ଗୌରବାନ୍ବିତ କରିଥିବା ଛାତ୍ରଛାତ୍ରୀଙ୍କ ସହିତ ମୋତେ ପରିଚିତ କରେଇ ଦେବାକୁ। ଗତ ସୋମବାର ଅନୁଗୁଳ ଗସ୍ତରେ ଯାଇଥିବା ବେଳେ ତାଳଚେର ଆଇଟିଆଇର ଶିକ୍ଷକମାନେ ଏଇଭଳି କେତେକ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କୁ ନେଇ ଆସିଥିଲେ, ଯେଉଁମାନେ ଚାକିରି ନ କରି ବ୍ୟବସାୟ ଆରମ୍ଭ କରିଛନ୍ତି। କିମ୍ବା ସଚରାଚର ଦେଖା ଯାଉ ନ ଥିବା କୌଣସି ଏକ ଅସାଧାରଣ ପେସାକୁ ନିଜର କରିଛନ୍ତି।
ଛୋଟ ଚାଷୀ ପରିବାରରେ ଜନ୍ମ ବିଭୁ ସାହୁ। ମ୍ୟାଟ୍ରିକ୍ ପରୀକ୍ଷାରେ ଫେଲ୍ ହୋଇଗଲେ। କିନ୍ତୁ ତାଙ୍କ ସହିତ ଅଳ୍ପ ସମୟ କଥାବାର୍ତ୍ତା କରିବା ପରେ ମୋର ମନେ ହେଲା ଯେ ଯଦି ପିଲାଦିନେ ତାଙ୍କୁ କେହି ପାଠରେ କିମ୍ବା ଦିଗ୍ଦର୍ଶନରେ ସାମାନ୍ୟ ସାହାଯ୍ୟ କରିଥାଆନ୍ତେ, ତେବେ ସେ ନିଶ୍ଚିତ ଭାବରେ ବି ଟେକ୍ ବା ଏମ୍ବିଏ ଡିଗ୍ରୀ ହାସଲ କରିପାରିଥାଆନ୍ତେ। ମ୍ୟାଟ୍ରିକ୍ ଫେଲ୍ ହୋଇଯିବା ପରେ ମଧ୍ୟ ଭାଙ୍ଗି ନ ପଡି ବିଭୁ ଆତ୍ମପ୍ରତ୍ୟୟର ସହିତ ଆଇଟିଆଇ ଯୋଗ ଦେଇ ଦୁଇ ବର୍ଷ ୱେଲ୍ଡିଙ୍ଗ୍ ପଢିଲେ। ପାଠ ଶେଷ କରି ତିନି ବର୍ଷ ଗୋଟିଏ ୱେଲ୍ଡିଙ୍ଗ୍ ୱାର୍କ୍ସପ୍ରେ କାମ କରିବା ପରେ ଆରମ୍ଭ କଲେ ‘ବିଭୁ ୱେଲ୍ଡିଙ୍ଗ୍’। ଦିନ ରାତି ଭୁଲି ସେ କାମ କଲେ। ସେଇ ଦିନ କଥା ମନେ ପକାଇ ବିଭୁ କହନ୍ତି ଯେ ପ୍ରଥମେ ରାତିରେ କାମ କରିବା ନେଇ ସରକାରୀ ବାଧା ଆସିଥିଲା। କିନ୍ତୁ ବିଭୁ ସେମାନଙ୍କୁ ବୁଝେଇ କହିଥିଲେ ରାତିଦିନ ଏକ କରି କାମ ନ କଲେ ଉଣେଇଶ ହଜାର ଟଙ୍କା ମୂଳଧନରେ ଆରମ୍ଭ କରିଥିବା ବ୍ୟବସାୟ ଠିଆ ହେବ କେମିତି? ଅଗ୍ରୀମ ପାଞ୍ଚ ଦଶ ହଜାର ଟଙ୍କା ଦେଇଥିବା ଗ୍ରାହକକୁ ସମୟାନୁସାରେ କିମ୍ବା ସମୟ ପୂର୍ବରୁ ଜିନିଷ ନ ଯୋଗାଇଲେ, ତାଙ୍କର ବିଶ୍ବାସ ବଢିବ କେମିତି? ବିଭୁଙ୍କ କଥା ବାଧା ଦେଇଥିବା ମଣିଷମାନଙ୍କୁ ଛୁଇଁ ଯାଇଥିଲା।
ଏହା ଭିତରେ ତେଇଶ ବର୍ଷ କଟିଯାଇଛି। ବିଭୁ ୱେଲ୍ଡିଙ୍ଗ୍ରେ କାମ କରିଥିବା ଚାଳିଶରୁ ଉର୍ଦ୍ଧ୍ବ ଯୁବକ ଅନ୍ୟ ସ୍ଥାନରେ ନିଜର ବ୍ୟବସାୟ ଆରମ୍ଭ କରିପାରିଛନ୍ତି। ବର୍ତ୍ତମାନ ବିଭୁ ନିଜ ସଂସ୍ଥାରେ ୬୦ ଲକ୍ଷରୁ ଅଧିକ ପୁଞ୍ଜି ଖଟାଇ ବର୍ଷକୁ ଚାଳିଶ ଲକ୍ଷ ଟଙ୍କାର ବ୍ୟବସାୟ କରୁଛନ୍ତି ଏବଂ ୨୦ ଜଣଙ୍କୁ ଚାକିରି ଦେଇଛନ୍ତି।
ବିଭୁଙ୍କ ପରି ଆଉ ଜଣେ ଉଦ୍ୟୋଗୀ ହେଉଛନ୍ତି ନିରୋଦ ବିଶ୍ବାଳ। ଗୋଟିମରା ଗାଁର ପିଲା; ବାପା ଥିଲେ ଗରୀବ ଚାଷୀ। ପିଲାଙ୍କୁ ସଠିକ ଦିଗଦର୍ଶନ ଦେବାର ସାଧନ ନ ଥିଲା। ନିରୋଦ ଏକାଏକା ନିଜ ଭବିଷ୍ୟତ ବିଷୟରେ ଯେତେବେଳେ କଳ୍ପନା କରୁଥିଲେ, ସେତେବେଳେ ଥରେ ରାସ୍ତାକଡରେ ହେଉଥିବା ନାଲ୍କୋର ୱେଲ୍ଡିଙ୍ଗ୍ ତାଙ୍କ ଆଖିରେ ପଡିଥିଲା। ମନକୁ ଛୁଇଁଯାଇଥିଲା। ସେଇ ୱେଲ୍ଡିଙ୍ଗ୍ କାମ ଶିଖିବାକୁ ସେ ଆଇଟିଆଇରେ ଭର୍ତ୍ତି ହେଲେ ଏବଂ ୧୯୯୨ରେ ଆରମ୍ଭ କଲେ ‘ଭବାନୀ ଏଣ୍ଟର୍ପ୍ରାଇଜର୍’।ଆଜି ଏଇ ସଂସ୍ଥାର ବ୍ୟବସାୟ ୧୫ ଲକ୍ଷ ଟଙ୍କା ଛୁଇଁଛି ଏବଂ ୨୦ ଜଣଙ୍କୁ ଚାକିରି ଦେଇଛି।
ଏମାନଙ୍କ ବ୍ୟତୀତ ତାଳଚେର ଆଇଟିଆଇ ଶିକ୍ଷକମାନଙ୍କ ସହିତ ଆସିଥିଲେ ଆଉ ଦୁଇ ଜଣ, ଯେଉଁମାନେ ଏଠାରୁ ଦୁଇ ବର୍ଷର ଇଲେକ୍ଟ୍ରିକାଲ୍ ଟ୍ରେଡ୍ରେ ପାଠ ପଢି, ଭାରତୀୟ ରେଳରେ କମ୍ପିଟିଟିଭ୍ ପରୀକ୍ଷା ଦେଇ ଲୋକୋମୋଟିଭ୍ ପାଇଲଟ୍ ହୋଇଛନ୍ତି। ବଟିମୁଣ୍ଡା ଗାଁର ପିଲା ବିକ୍ରମ ସାହୁ। ବାପା ସାଇକେଲରେ ଘର ଘର ବୁଲି ମନୋହାରୀ ଜିନିଷ ବିକ୍ରି କରୁଥିଲେ। ସ୍କୁଲ୍ ପରେ ବିକ୍ରମ ଆଇଟିଆଇରେ ଯୋଗ ଦେଇଥିଲେ। ଲୋକୋମୋଟିଭ ପାଇଲଟ୍ ହେବା ପରେ ପରିବାରର ଦାୟିତ୍ବ ସେ ନିଜ ଉପରକୁ ନେଇଛନ୍ତି। ଅମାୟିକ ବିକ୍ରମଙ୍କ ଦରମା ଏବେ ମାସକୁ ୩୦,୦୦୦ଟଙ୍କା।
ଲୋକୋ୍ପାଇଲଟ୍ ପରି ଦାୟିତ୍ବପୂର୍ଣ୍ଣ, ସମ୍ମାନସ୍ପଦ ଏବଂ ପରିଶ୍ରମ ସାପେକ୍ଷ ପେସା କେବଳ ପୁଅ ନୁହଁ, କେତେକ ଝିଅ ମଧ୍ୟ ଏହାକୁ ନିଜର କରିଛନ୍ତି। ତାଳଚେର ଆଇଟିଆଇର ରୋଲ୍ ମଡେଲ୍ମାନଙ୍କ ଭିତରୁ ଗଣା ହେଉଥିବା ସସ୍ମିତା ସାହୁ ଏହିପରି ଜଣେ ଝିଅ। କାମାକ୍ଷା ନଗର ପାଖ ମୁକ୍ତାପଶି ଗାଁରେ ବଢିଥିବା ସସ୍ମିତାଙ୍କର ବାପା ଅଳ୍ପ ଦରମାର କିରାଣୀ ଚାକିରିଟିଏ କରିଥିଲେ। ସସ୍ମିତାଙ୍କର ତିନି ଭଉଣୀ, ଗୋଟିଏ ଭାଇ। ସ୍କୁଲରେ ପଢୁଥିବା ବେଳେ ସସ୍ମିତା ସ୍ଥିର କରିନେଇଥିଲେ ଯେ ସେ ଶୀଘ୍ର ନିଜ ଗୋଡରେ ନିଜେ ଠିଆ ହେବେ। ସେ ବୁଝିଯାଇଥିଲେ ଯେ ଏଥିପାଇଁ ଆବଶ୍ୟକ ଦକ୍ଷତାର ମୂଳଦୁଆ। ଦୁଇ ବର୍ଷ ପାଠ ପଢି, କମ୍ପିଟିଟିଭ୍ ପରୀକ୍ଷା ଦେଇ ସସ୍ମିତା ଏବେ ଲୋକୋପାଇଲଟ୍ ହିସାବରେ ତାଳଚେର ଷ୍ଟେସନ୍ରେ ଅଛନ୍ତି। ଏହା ଭିତରେ ତାଙ୍କର ବାହାଘର ମଧ୍ୟ ଆଉ ଜଣେ ଲୋକୋପାଇଲଟ୍ଙ୍କ ସହିତ ହୋଇଯାଇଛି। କୋଳରେ ଆଠ ମାସର ସୁନ୍ଦର ପୁଅଟିଏ। ପୁଅକୁ ନେଇ ଆସିଥିଲେ ସସ୍ମିତା। ପୁଅକୁ ଗେହ୍ଲା କରିବାକୁ ହାତ ବଢାଇବା ମାତ୍ରକେ ସେ ନିର୍ଦ୍ବନ୍ଦ୍ବରେ ମୋ କୋଳକୁ ଚାଲି ଆସିଲା। ଆଶ୍ଚର୍ଯ୍ୟ ହୋଇ ମୁଁ ସସ୍ମିତାଙ୍କୁ ପଚାରିଲି - ‘ପୁଅ ତ ଆଦୌ ଚିହ୍ନା ଅଚିହ୍ନା ବାରୁନି; ଟିକିଏ ବି ଡରୁନି!’ ପ୍ରତ୍ୟୁତ୍ପନ୍ନମତି ସସ୍ମିତା ହସି ଦେଇ ଉତ୍ତର ଦେଲେ -‘ମା’ ଲୋକୋପାଇଲଟ୍। ବାପା ଲୋକୋପାଇଲଟ୍। ଡରିବ କାହିଁକି ?’
ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କୁ ନେଇ ତାଳଚେର ଆଇଟିଆଇର ଶିକ୍ଷକ ଶିକ୍ଷୟିତ୍ରୀମାନେ ଚାଲିଯିବା ପରେ ମୋ ମନ ପ୍ରଶାନ୍ତିରେ ଭରିଯାଇଥିଲା। ଏଭଳି ଉନ୍ନତି ପଛରେ ରହିଛି ଏକ ସମ୍ମିଳିତ ଚେଷ୍ଟା। ଛାତ୍ରଛାତ୍ରୀମାନଙ୍କର ଅଧ୍ୟବସାୟ, ଶିକ୍ଷକ ଶିକ୍ଷୟିତ୍ରୀଙ୍କର ନିରବଚ୍ଛିନ୍ନ ଉଦ୍ୟମ। ସେଇଥିପାଇଁ ହୁଏତ ନିଜର ହାତ ସ୍ପର୍ଶରେ ବିଭୁ ୱେଲ୍ଡିଙ୍ଗ୍ର ସ୍ଫୁଲିଙ୍ଗ ମଣିଷର ଭବିଷ୍ୟତ ଯୋଡି ଦେଉଛି ଏବଂ ବିକ୍ରମ ଓ ସସ୍ମିତାଙ୍କ ଭଳି ସାଧାରଣ ମଣିଷଙ୍କ ଜୀବନରେ ଅସାଧାରଣ ଗତିର ସଞ୍ଚାର ହୋଇ ପାରିଛି। ଏଥିପାଇଁ ନମସ୍ୟ ତାଳଚେର ଆଇଟିଆଇ।